କେନ୍ନେଥ୍ ଆଣ୍ଡର୍ସନ୍ (ଲେଖକ)
କେନ୍ନେଥ୍ ଆଣ୍ଡର୍ସନ୍ | |
---|---|
ଫାଇଲ:Photograph of Kenneth Anderson.jpg | |
ଜନ୍ମ ଓ ଜନ୍ମସ୍ଥାନ | ୮ ମାର୍ଚ୍ଚ୍ ୧୯୧୦ ବ୍ରିଟିଶ୍ ଶାସନାଧୀନ ଭାରତ (ବର୍ତ୍ତମାନ ଭାରତ) |
ମୃତ୍ୟୁ | ୩୦ ଅଗଷ୍ଟ ୧୯୭୪ ବେଙ୍ଗାଲୁର୍, କର୍ଣ୍ଣାଟକ, ଭାରତ |
ଜାତୀୟତା | ବ୍ରିଟିଶ୍ |
ବିଷୟ | ବନ୍ୟଜନ୍ତୁ, ଶିକାର, ଦକ୍ଷିଣ ଭାରତ |
କେନ୍ନେଥ୍ ଆଣ୍ଡର୍ସନ୍ (୮ ମାର୍ଚ୍ଚ ୧୯୧୦ – ୩୦ ଅଗଷ୍ଟ ୧୯୭୪) ଭାରତରେ ଜନ୍ମଗ୍ରହଣ କରିଥିବା ଜଣେ ବ୍ରିଟିଶ୍ ଶିକାରୀ ଓ ଅନେକ ରୋମାଞ୍ଚଭରା ଜଙ୍ଗଲ କାହାଣୀର ଲେଖକ । ତାଙ୍କର କାହାଣୀଗୁଡିକ ସାଧାରଣତଃ ଦକ୍ଷିଣ ଭାରତର ଜଙ୍ଗଲମାନଙ୍କ ଉପରେ ପର୍ଯ୍ୟବସିତ ।
ପୃଷ୍ଠଭୂମି
[ସମ୍ପାଦନା]କେନ୍ନେଥ୍ ଆଣ୍ଡର୍ସନ୍ ଜଣେ ସ୍କଟ୍ (ସ୍କଟଲାଣ୍ଡର ବାସୀ) ଥିଲେ କିନ୍ତୁ ପ୍ରାୟ ୬ ପୁରୁଷ ଧରି ତାଙ୍କ ପରିବାରର ଲୋକେ ଭାରତରେ ବସବାସ କରୁଥିଲେ । କେନ୍ନେଥଙ୍କ ପିତା ଡଗ୍ଲାସ୍ ଷ୍ଟିୱାର୍ଟ୍ ଆଣ୍ଡର୍ସନ୍ ଏଫ୍.ସି.ଏମ୍.ଏ. (ପୁଣେ)ର ତତ୍ତ୍ୱାବଧାରକଭାବେ କାମ କରୁଥିଲେ । ସେ କ୍ୟାପ୍ଟେନ୍ ପଦବୀରେ ଥିଲେ ଓ ସାମରିକ ବାହିନୀରେ କାର୍ଯ୍ୟରତ ବ୍ୟକ୍ତିଙ୍କ ବେତନର ତଦାରଖ କରୁଥିଲେ । ଡଗ୍ଲାସ୍ ବତକ ଶିକାର କରିବା ପାଇଁ ଏକ ବନ୍ଧୁକ ରଖିଥିଲେ । କେନ୍ନେଥ୍ ପିଲାବେଳୁ ପିତାଙ୍କଦ୍ୱାରା ଅନୁପ୍ରାଣିତ ହୋଇ ଶିକାରୀ ହେବାର ଇଛ୍ଛା ପୋଷଣ କରିଥିଲେ ।
ଆଣ୍ଡର୍ସନ୍ ବେଙ୍ଗାଲୁରୁର ବିଶପ୍ କଟନ୍ ବଏଜ୍ ସ୍କୁଲ୍ ଓ ସେଣ୍ଟ୍ ଜୋସେଫ୍ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ବେଙ୍ଗାଲୁରରେ ଥିବା ବ୍ରିଟିଶ୍ ଉଡ଼ାଯାହାଜ କାରଖାନା(ଯାହା ବର୍ତ୍ତମାନ ହିନ୍ଦୁସ୍ଥାନ ଏରୋନଟିକ୍ସ୍ ଲିମିଟେଡ଼୍ ଭାବେ ଜଣାଶୁଣା)ରେ କାରଖାନା ନିରୀକ୍ଷକ ଭାବେ କାମ କରୁଥିଲେ । ତାଙ୍କର କର୍ଣ୍ଣାଟକ, ହାଇଦ୍ରାବାଦ୍ ଓ ତାମିଲନାଡୁରେ ପ୍ରାୟ ୨୦୦ ଏକର୍ ଜମି ଥିଲା । ତାଙ୍କ ଝିଅ ଜୁନ୍ (ଜନ୍ମ ୧୯୩୦) ବର୍ତ୍ତମାନ ପଶ୍ଚିମ ଅଷ୍ଟ୍ରେଲିଆରେ ରହନ୍ତି । ତାଙ୍କ ପୁଅ ଡୋନାଲ୍ଡ୍ (୧୮ ଫେବୃଆରୀ ୧୯୩୪ – ୧୨ ଜୁଲାଇ ୨୦୧୪) ମଧ୍ୟ ଜଣେ ଶିକାରୀ ଥିଲେ ଓ ଭାରତର ବେଙ୍ଗାଲୁରରେ ରହୁଥିଲେ ।
ଜଙ୍ଗଲରେ ବସବାସ କରୁଥିବା ବନ୍ୟଜନ୍ତୁ ଓ ଆଦିବାସୀଙ୍କ ସମ୍ପର୍କରେ ଆସି ସେ ଶିକାର କରିବାକୁ ଇଛ୍ଛୁକ ହେଲେ ଓ ନିଜ ଶିକାର ସମୟର ରୋମାଞ୍ଚକାରୀ କାହାଣୀର ରଚନା ମଧ୍ୟ କରିଥିଲେ । ଜଙ୍ଗଲକୁ ନିରସ୍ତ୍ର ଓ ଏକାକୀ ଯାଇ ସେଠାରେ ଧ୍ୟାନ କରିବା ଓ ଜଙ୍ଗଲର ଅନାବିଳ ସୌନ୍ଦର୍ଯ୍ୟ ଉପଭୋଗ କରିବା ତାଙ୍କୁ ଭଲ ଲାଗୁଥିଲା । ଶିକାରୀ ଭାବେ ସେ ନରଖାଦକ ମହାବଳ ବାଘ ଓ କଲରା ପତରିଆ ବାଘମାନଙ୍କର ଶିକାର କରୁଥିଲେ । ମହୀଶୁରର ଭାଲୁ, ଗୁମ୍ମଲାପୁରର କଲରା ପତରିଆ ବାଘ, ୟେଲାଗିରି ପାହାଡର କଲରା ପତରିଆ ବାଘ, ଜୌଲାଗିରିର ବାଘୁଣୀ, ସେଗୁରର ବାଘ, ମୁନ୍ଦଚିପଲ୍ଲମର ବାଘ ଆଦି ତାଙ୍କ ଶିକାର ସମୟର କେତେକ କିର୍ତ୍ତୀମାନ।
୧୯୩୯ରୁ ୧୯୬୬ ମସିହାର ସରକାରୀ ଦସ୍ତାବିଜ ଅନୁସାରେ ସେ ୮ଟି ମଣିଷଖିଆ କଲରା ପତରିଆ ବାଘ (୭ଟି ପୁରୁଷ ବାଘ ଓ ୧ଟି ବାଘୁଣୀ) ଏବଂ ୭ଟି ମଣିଷଖିଆ ବାଘ (୫ଟି ପୁରୁଷ ଓ ଦୁଇଟି ବାଘୁଣୀ)ର ଶିକାର କରିଥିଲେ । ଲୋକଙ୍କ ବିଶ୍ୱାସରେ ସେ ୧୮ରୁ ଅଧିକ ମଣିଷଖିଆ କଲରାପତରିଆ ବାଘ ଓ ୧୫-୨୦ରୁ ଅଧିକ ମଣିଷଖିଆ ମହାବଳ ବାଘ ମାରିଛନ୍ତି । ସେ କେତେକ ବିନାଶକାରୀ ହାତୀଙ୍କର ମଧ୍ୟ ଶିକାର କରିଛନ୍ତି ।
ଅନ୍ୟାନ୍ୟ ରୁଚି
[ସମ୍ପାଦନା]ଆଣ୍ଡର୍ସନଙ୍କ ଲେଖିବାର ଶୈଳୀ ବର୍ଣ୍ଣନାତ୍ମକ କିନ୍ତୁ ସାବଲୀଳ । ତାଙ୍କର ଲିଖିତ ବନ୍ୟଜନ୍ତୁଙ୍କ କାହାଣୀରେ ନରଭକ୍ଷୀ ବାଘଙ୍କ ଶିକାର, ଭାଲୁ, ହାତୀ, ବଣ ମଇଁଷି ଇତ୍ୟାଦିଙ୍କ ସହିତ ସାକ୍ଷାତର ପୁଂଖାନୁପୁଂଖ ବିବରଣୀ ରହିଛି । ଲୋକଙ୍କ ମଧ୍ୟରେ ଅପେକ୍ଷାକୃତ ଭାବେ ଅପରିଚିତ ବଳିଆ କୁକୁର, ଗଧିଆ ଓ ସାପମାନେ ମଧ୍ୟ ତାଙ୍କ ଗପଗୁଡିକରେ ସ୍ଥାନ ପାଇଛନ୍ତି । ଏହି ଜନ୍ତୁମାନଙ୍କର ପ୍ରକୃତି ଓ ବ୍ୟବହାର ସମ୍ପର୍କରେ ସେ ଅତି ସରଳ ଓ ସୁନ୍ଦର ଭାଷାରେ ଲେଖିଛନ୍ତି ।
ଆଣ୍ଡର୍ସନଙ୍କ ଲେଖାରୁ ସେହି ସମୟର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଜଙ୍ଗଲରେ ବସବାସ କରୁଥିବା ଜନଜାତିଙ୍କ କଷ୍ଟମୟ ଜୀବନ, ଜଙ୍ଗଲକୁ ଯିବାପାଇଁ ଥିବା କଚ୍ଚା ସଡକ, ଯୋଗାଯୋଗ ସ୍ଥାପନର ମାଧ୍ୟମ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବାର ଅବସ୍ଥା ସମ୍ବନ୍ଧରେ ବହୁକିଛି ଜାଣିହେବ । ଜଙ୍ଗଲବାସୀ ଜନଜାତିଙ୍କ ଜୀବିକା ନିର୍ବାହ, ସେମାନଙ୍କ ଦୈନନ୍ଦିନ ଜୀବନ, ଅନ୍ଧବିଶ୍ୱାସ, ବିପଦପୂର୍ଣ୍ଣ ପରିସ୍ଥିତିରେ ସାହସ ଓ ବୁଦ୍ଧିମତା ଯୋଗୁଁ ଜୀବନ ରକ୍ଷାର କୌଶଳ ଆଦି ବିଷୟ ମଧ୍ୟ ତାଙ୍କ ଲିଖିତ ପୁସ୍ତକମାନଙ୍କରେ ବର୍ଣ୍ଣିତ ।
ଗୁଣୀ ଗାରେଡି଼ ପ୍ରତି ତାଙ୍କ ଆଗ୍ରହ ଓ ତାଙ୍କ ସ୍ୱଚକ୍ଷୁରେ ଘଟିଯାଇଥିବା ଅନେକ ଘଟଣା ଯାହାର କାରଣ ବିଷୟରେ ସେ କହିବାକୁ ସମ୍ପୂର୍ଣ୍ଣଭାବେ ଅସମର୍ଥ, ତା’ର ବର୍ଣ୍ଣନା ଏହି ଗପମାନଙ୍କରେ ମିଳେ । ସତ୍ୟ ସାଇ ବାବାଙ୍କର ସେ ଜଣେ ବନ୍ଧୁ ଓ ଭକ୍ତ ଥିଲେ । ପିଲାଦିନରୁ ସାଇ ବାବାଙ୍କ ସହିତ ସେ ପରିଚିତ ଥିଲେ । ନିଜର ଜୀବନ ରକ୍ଷା ପାଇଁ ବାବାଙ୍କ ପ୍ରଦତ୍ତ ଏକ ତାବିଜ ସର୍ବଦା ନିଜପାଖରେ ରଖୁଥିଲେ । ଦକ୍ଷିଣ ଭାରତର ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କୁ ସେ ମଣିଷଖିଆ ବାଘ ମାନଙ୍କ ଆତଙ୍କ ଓ ଆକ୍ରମଣରୁ ରକ୍ଷା କରିଛନ୍ତି । ଇଂରାଜୀ ଓ ହିନ୍ଦୀ ବ୍ୟତୀତ ବେଙ୍ଗାଲୁର୍ ସହରର ସ୍ଥାନୀୟ ଭାଷା କନ୍ନଡ଼, ପଡୋଶୀ ରାଜ୍ୟରେ ବୋଲାଯାଉଥିବା ତାମିଲ୍ ଭାଷାରେ ମଧ୍ୟ ସେ କଥାବାର୍ତ୍ତା କରିପାରୁଥିଲେ । ଆଣ୍ଡର୍ସନ୍ ଏକ ଷ୍ଟୁଡେବାକେର୍ ମୋଟରକାରର ମାଲିକ ଥିଲେ । ଶିକାର ପାଇଁ ସେ ୦.୪୦୫ ୱିଞ୍ଚେଷ୍ଟର୍ ୧୮୯୫ ମଡେଲର ବନ୍ଧୁକ ବ୍ୟବହାର କରୁଥିଲେ । ଦକ୍ଷିଣ ଭାରତର ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସେ ଚେଷ୍ଟା କରିଥିଲେ । ଶିକାରରୁ ଅବ୍ୟାହତି ପରେ ବନ୍ୟଜନ୍ତୁଙ୍କ ଚିତ୍ରତ୍ତୋଳନଦ୍ୱାରା ଅବସର ବିନୋଦନ କରୁଥିଲେ ।
ଆଣ୍ଡର୍ସନଙ୍କର ଭାରତ, ଏହାର ଲୋକ ଓ ଭାରତର ପ୍ରାକୃତିକ ସମ୍ପଦ ପ୍ରତି ଗଭୀର ସ୍ନେହ ରହିଥିଲା । ଔଷଧୀୟ ବୃକ୍ଷ ଓ ଚେରମୂଳ ସେ ନିଜ ସହିତ ଏକ ବାକ୍ସରେ ଧରି ବୁଲୁଥିଲେ । ପାଶ୍ଚାତ୍ୟ ଡାକ୍ତରୀ ଔଷଧ ସେବନ କରିବାକୁ ସେ ଇଛ୍ଛୁକ ନଥିଲେ ଓ ୬୪ ବର୍ଷ ବୟସରେ କର୍କଟ ରୋଗରେ ପୀଡ଼ିତ ହୋଇ ୩୦ ଅଗଷ୍ଟ ୧୯୭୪ ଦିନ ପ୍ରାଣତ୍ୟାଗ କରିଥିଲେ । ଏହାର ଏକ ବ୍ୟତିକ୍ରମ ତାଙ୍କ ପୁସ୍ତକ “ନରଖାଦକ ଓ ଜଙ୍ଗଲି ହତ୍ୟାକାରୀ” (ଇଂରାଜୀରେ Man Eaters and Jungle Killers)ର କେମ୍ପେକେରାଇର ହତ୍ୟାକାରୀ ଅଧ୍ୟାୟରେ ଲେଖିଛନ୍ତି ।[୧] ଶିକାର ପାଇଁ ଛକି ବସିଥିବା ବେଳେ ଏହି ବାଘଟି ମଞ୍ଚା ପର୍ଯ୍ୟନ୍ତ ଡେଇଁ ତାଙ୍କୁ ରାମ୍ପୁଡି ପକାଇଥିଲା । ସଂଭାବୀ ସଂକ୍ରମଣରୁ ବଞ୍ଚିବା ପାଇଁ ସେ ପେନିସିଲିନ୍ ଇଞ୍ଜେକ୍ସନ୍ ନେଇଥିଲେ ବୋଲି ଲେଖିଛନ୍ତି । ତାଙ୍କ ଶେଷ ପୁସ୍ତକ “ଆଗକାଳର ଜଙ୍ଗଲ” (ଇଂରାଜୀରେ Jungles Long Ago) ମରଣୋତ୍ତର ପ୍ରକାଶ ପାଇଥିଲା । ତାଙ୍କ ଲିଖିତ “ଉତ୍ସାହର ବହ୍ନି” (ଇଂରାଜୀରେ Fires of Passion) ଦକ୍ଷିଣ ଭାରତରେ ରହୁଥିବା ସ୍କଟ୍ ଲୋକମାନଙ୍କ ଅବସ୍ଥା ସମ୍ପର୍କରେ ବିବରଣୀ । [୨]
ନିଜ ପୁସ୍ତକ “ଭାରତୀୟ ଜଙ୍ଗଲର କିଛି କାହାଣୀ” (ଇଂରାଜୀରେ Tales from the Indian Jungle)ର ଉପକ୍ରମରେ ଆଣ୍ଡର୍ସନ୍ କୁହନ୍ତି ଯେ – ତାଙ୍କୁ ଓ ଅନ୍ୟମାନଙ୍କୁ ଲାଗେ ଯେପରିକି ସେ ଜଙ୍ଗଲର ଏକ ଅଭିନ୍ନ ଅଂଶ । ଜଙ୍ଗଲ ତାଙ୍କ ଘର, ତାଙ୍କ ଜନ୍ମସ୍ଥାନ, ତାଙ୍କ ପାଇଁ ସ୍ୱର୍ଗ । ତାଙ୍କର ମୃତ୍ୟୁ ଏହିଠାରେ ହେଉ ଏବଂ ମୃତ୍ୟୁ ପରେ ମଧ୍ୟ ସେ ଏଠାରେ ରହିଥାନ୍ତୁ ।
ଜଙ୍ଗଲବାସୀଙ୍କ ସହିତ ସମ୍ପର୍କ
[ସମ୍ପାଦନା]କେନ୍ନେଥ୍ ଆଣ୍ଡର୍ସନ୍ ବଣ ଜଙ୍ଗଲରେ ରହୁଥିବା ବିଭିନ୍ନ ଆଦିବାସୀଙ୍କ ସହିତ ମିଳିମିଶି କଥାବାର୍ତ୍ତା ହୋଇପାରୁଥିଲେ ଓ ସେମାନଙ୍କ ମଧ୍ୟରେ ପରିଚିତ ଥିଲେ । ତାଙ୍କ ବହିମାନଙ୍କରେ ପୁଜାରୀ ଜାତିର ବାଇରା, ଶିକାରୀ ରଙ୍ଗା ଓ ଶୋଳଗା ଜାତିର ରାଚେନ୍ ଆଦି ବନବାସୀଙ୍କ ବିଷୟ ଉଲ୍ଲିଖିତ । ତାଙ୍କର ବନ୍ଧୁ ହ୍ୟୁଗି ହେଲଷ୍ଟୋନ୍ ଜଙ୍ଗଲରେ ଏକ ବିରାଟ ବଗିଚାର ମାଲିକ ଥିଲେ । ପିଲାବେଳେ ଜଙ୍ଗଲରେ ବାରମ୍ବାର ଅସୁବିଧାରେ ପଡୁଥିବା ନିଜ ବନ୍ଧୁ ଏରିକ୍ ନ୍ୟୁକମ୍ବଙ୍କ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।
ଆଣ୍ଡର୍ସନଙ୍କ ରଚନାବଳୀ
[ସମ୍ପାଦନା]ପୁସ୍ତକର ମୂଳ ଇଂରାଜୀ ନାମ | ଓଡ଼ିଆ ନାମାନ୍ତରଣ | ପ୍ରକାଶନ ବର୍ଷ | ଓଡ଼ିଆ ଅନୁବାଦ | ଅନୁବାଦକ | |
---|---|---|---|---|---|
ଶିକାର ସମ୍ବନ୍ଧୀୟ ପୁସ୍ତକ | Nine Maneaters And One Rogue | ୯ଟି ନରଖାଦକ ଓ ଏକ ଦୁଷ୍ଟ | ୧୯୫୪ | - | - |
Man Eaters and Jungle Killers | ନରଖାଦକ ଓ ଜଙ୍ଗଲି ହତ୍ୟାକାରୀ | ୧୯୫୭ | - | - | |
The Black Panther of Sivanipalli and
Other Adventures of the Indian Jungle |
ଶିବାନୀପଲ୍ଲିର କଳାବାଘ ଓ ଅନ୍ୟ ଜଙ୍ଗଲୀ କାହାଣୀ | ୧୯୫୯ | - | - | |
The Call of the Man Eater | ନରଖାଦକର ଡାକ | ୧୯୬୧ | - | - | |
This is the Jungle | ଏହି ତ ଜଙ୍ଗଲ | ୧୯୬୪ | - | - | |
The Tiger Roars | ବାଘର ଗର୍ଜ୍ଜନ | ୧୯୬୭ | - | - | |
Tales from the Indian Jungle | ଭାରତୀୟ ଜଙ୍ଗଲର କିଛି କାହାଣୀ | ୧୯୭୦ | - | - | |
Jungles Long Ago | ଆଗକାଳର ଜଙ୍ଗଲ | ୧୯୭୬ | - | - | |
ଅନ୍ୟ ପ୍ରକାଶନ | The Fires of Passion | ଉତ୍ସାହର ବହ୍ନି | ୧୯୬୯ | - | - |
Jungles Tales for Children | ପିଲାଙ୍କ ଜଙ୍ଗଲ କାହାଣୀ | ୧୯୭୧ | - | - | |
Tales of Man Singh: King of Indian Dacoits | ଡାକୁ ରାଜା ମାନସିଂର କାହାଣୀ | ୧୯୬୧ | - | - | |
ସଂକଳନ | Kenneth Anderson Omnibus Vol. 1
(Tales from the Indian Jungle Man Eaters and Jungle Killers The Call of the Man Eater) |
କେନ୍ନେଥ୍ ଆଣ୍ଡର୍ସନ୍ ସଂକଳନ (ପ୍ରଥମ ଖଣ୍ଡ) | - | - | - |
Kenneth Anderson Omnibus Vol.2
The Black Panther of Sivanipalli and Other Adventures of the Indian Jungle The Tiger Roars Jungles Long Ago |
କେନ୍ନେଥ୍ ଆଣ୍ଡର୍ସନ୍ ସଂକଳନ (ଦ୍ୱିତୀୟ ଖଣ୍ଡ) | - | - | - |